ପୁଲିସ୍‌ ଜାଲରେ ଅନ୍ତର୍ଜାତୀୟ ସାଇବର ଠକ : ବିଦେଶୀ ଟଙ୍କା, ମୋବାଇଲ ଜବତ...

ପୁଲିସ୍‌ ଜାଲରେ ଅନ୍ତର୍ଜାତୀୟ ସାଇବର ଠକ : ବିଦେଶୀ ଟଙ୍କା, ମୋବାଇଲ ଜବତ...


ରାଉରକେଲା,୨୯/୧୨: ଜମା ଟଙ୍କା ଡ଼ବଲ କରିବାକୁ ପ୍ରଲୋଭିତ କରି ମିଥ୍ୟା ଟ୍ରେଡିଂ ଆପ୍‌ ଜରିଆରେ କୋଟି କୋଟି ଟଙ୍କା ଲୁଟି ନେଇଥିବା ଅନ୍ତର୍ଜାତୀୟ ସାଇବର ଠକ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡକୁ ରାଉରକେଲା ସାଇବର ଥାନା ପୁଲିସ୍‌ ଉତ୍ତରପ୍ରଦେଶରୁ ଗିରଫ କରିଛି । ସେ ହେଲେ ଗୋରଖପୁରର ଦେବେନ୍ଦ୍ର କୁମାର ମୌର୍ଯ୍ୟା (୨୭)। 

             Ad..


ତା’ ଠାରୁ ବିଦେଶୀ ଟଙ୍କା, ୧୦ ମୋବାଇଲ୍‌, ୮ ପେନ୍‌ଡ୍ରାଇଭ, ୧୪ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ, ନଗଦ ୨୨ ହଜାର ଟଙ୍କା, ୧୪ ପାସ୍‌ବୁକ ଓ ଚେକ୍‌ ବୁକ୍‌, ପାସ୍‌ପୋର୍ଟ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍‌ କାର୍ଡ, ୱାଇଫାଇ ରାଉଟର, ୮ଟି ବିଦେଶୀ ସିମ୍‌କାର୍ଡ ଜବତ କରାଯାଇଛି । କାମ୍ବୋଡିଆରୁ ଅପରାଧିକ ନେଟ୍‌ୱର୍କ ଅପରେଟ୍‌ କରୁଥିଲା ଦେବେନ୍ଦ୍ର । 

Ad..


ସେ ଗଢ଼ିଥିବା ସାଇବର ଠକ ଗୋଷ୍ଠୀ ଦେଶର ଅଧା ରାଜ୍ୟରେ ଜାଲ ବିଛାଇଛନ୍ତି । ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଛନ୍ତି । ଏହି ଗ୍ୟାଙ୍ଗ୍‌ ନାମରେ ବିଭିନ୍ନ ଥାନାରେ ୫୦୦ରୁ ଅଧିକ ମାମଲା ରୁଜୁ ହୋଇଛି । ଦେବେନ୍ଦ୍ରକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି।  

    Ad..


ରାଉରକେଲା ଜିଲ୍ଲା ପୁଲିସ୍‌ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଶ୍ରୀ ରାୟ ଓ ଏସ୍‌ପି ନିତେଶ ୱାଧୱାନୀ ଏ ସମ୍ପର୍କରେ ସବିଶେଷ ସୂଚନା ଦେଇ କହିଛନ୍ତି, କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ମିଥ୍ୟା ଟ୍ରେଡିଂ ଆପ୍‌ରେ ଫସାଇ ସାଇବର ଠକ ୬୭ ଲକ୍ଷ ୭୦ ହଜାର ଟଙ୍କା ଠକି ନେଇଥିଲେ । ଏ ନେଇ ସମ୍ପୃକ୍ତ ଅଧିକାରୀ ୨୦୨୩ ଡିସେମ୍ବର ୩୦ରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ଏହା ପଛରେ ଏକ ର‌୍ୟାକେଟ୍‌ କାମ କରୁଛି ।

ର‌୍ୟାକେଟ୍‌ ଦକ୍ଷିଣ ଏସୀୟ ରାଷ୍ଟ୍ରରେ ସକ୍ରିୟ ରହିଛି । ଓଡ଼ିଶା, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, ତେଲଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଉତ୍ତର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, କେରଳ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ସମେତ ଦେଶର ଅଧାରୁ ଅଧିକ ରାଜ୍ୟରେ ସେମାନେ ନେଟ୍‌ୱାର୍କ ବିଛାଇଛନ୍ତି ।

ଚଳିତ ବର୍ଷ ଭିନ୍ନ ଭିନ୍ନ ଘଟଣାରେ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ୧୪ ସାଇବର ଠକ ବନ୍ଧା ହୋଇଥିଲେ । ଏମାନଙ୍କ ମଧ୍ୟରୁ କେତେଜଣ ଅନ୍ତର୍ଜାତୀୟ ସାଇବର ଠକେଇ ଗ୍ୟାଙ୍ଗ୍‌ ଲିଙ୍କ୍‌ରେ ଥିବା ଜଣାପଡ଼ିଥିଲା । ଖୋଳତାଡ଼ ବେଳେ ଏହାର ମାଷ୍ଟରମାଇଣ୍ଡ୍‌ ଦେବେନ୍ଦ୍ର କାମ୍ବୋଡିଆରେ ଥିବା ଜଣାପଡ଼ିଥିଲା।

ଏ ନେଇ ପୁଲିସ୍‌ ରାଜ୍ୟ କ୍ରାଇମବ୍ରାଞ୍ଚ୍‌ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସହଯୋଗ ଲୋଡ଼ିଥିଲା । ରାଉରକେଲା ଏସ୍‌ପି ନିତେଶ ୱାଧୱାନୀଙ୍କ ନିର୍ଦ୍ଦେଶକ୍ରମେ ପାନପୋଷ ଏସ୍‌ଡିପିଓ ଉପାସନା ପାଢ଼ୀ, ଇନ୍ସପେକ୍ଟର ପଦ୍ମାବତୀ ମିର୍ଦ୍ଧା, ଏସ୍‌ଆଇ ସମ୍ପଦ ମହାନ୍ତି, ବିକାଶ କଲିତଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ଗଢ଼ା ଯାଇଥିଲା । 

ଦେବେନ୍ଦ୍ର କିଛିଦିନ ତଳେ କାମ୍ବୋଡ଼ିଆରୁ ଉତ୍ତରପ୍ରଦେଶ ଆସିଥିଲା । ଏହା ଜାଣିବା ପରେ ଉତ୍ତରପ୍ରଦେଶ ପୁଲିସ୍‌ ସହାୟତାରେ ରାଉରକେଲା ପୁଲିସ୍‌ ଟିମ୍‌ ତାକୁ ଗିରଫ କରିଛି । ର‌୍ୟାକେଟ୍‌ରେ ସମ୍ପୃକ୍ତ ଅନ୍ୟ ୧୫ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ଲାଗି ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରାଯାଇଛି।



Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...