ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...


ବରଗଡ଼,୦୩/୦୭ : ଷୋଡ଼ଶ ଶତାବ୍ଦୀରୁ ଆୟୋଜିତ ହୋଇଆସୁଥିବା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଭଟଲିର ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ଏ ଅଞ୍ଚଳର ସର୍ବପୁରାତନ ରଥଯାତ୍ରା। ଆଧୁନିକ ଯୁଗଭଳି ସେତେବେଳେ ଗମନାଗମନ ସୁବିଧା ନ ଥିଲା। ଲୋକେ ପୁରୀ ଧାମକୁ ଯିବାକୁ ସହଜରେ ସକ୍ଷମ ହେଉନଥିଲେ। 

      Ad..


ସେତେବେଳେ ଭଟଲିକୁ ଶ୍ରୀକ୍ଷେତ୍ର ମଣି ଶ୍ରୀ ଦଧିବାମନଙ୍କ ଦର୍ଶନ ଲାଭ କରି ନିଜ ଜୀବନକୁ ସାର୍ଥକ ମଣୁଥିଲେ। ବିଶ୍ବାସ ରହିଛି ଯେ ଏହି ପବିତ୍ର କ୍ଷେତ୍ରର ଦର୍ଶନ ପୁରୀ ଶ୍ରୀକ୍ଷେତ୍ର ସହ ସମାନ। ଏହି କ୍ଷେତ୍ରର ମହିମା ସର୍ବଜନ ବିଦିତ। 

      Ad..


ପୁରୀର ଶ୍ରୀ ଜଗନ୍ନାଥ ଓ ଭଟଲିର ଶ୍ରୀ ଦଧିବାମନଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି ବୋଲି ଲୋକଙ୍କ ଲୋକ କଥାରୁ ବିଶ୍ୱାସ। ଜିଲା ମୁଖ୍ୟାଳୟ ବରଗଡ଼ରୁ ମାତ୍ର କୋଡ଼ିଏ ପଚିଶ ମିନିଟ୍ ବାଟ ଭଟଲି।  ପୁରୀର ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପରି ଏଠାରେ ମଧ୍ୟ ପ୍ରତି ବର୍ଷ ଆଷାଢ଼ ଶୁକ୍ଳ ଦ୍ବିତୀୟା ଦିନ ରଥଯାତ୍ରା ଓ ଆଷାଢ଼ ଶୁକ୍ଳ ଦଶମୀ ଦିନ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥାଏ। 

Ad..


ପୁରୀରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ତିନିଟି ରଥ। ମାତ୍ର ଭଟଲିରେ ଗୋଟିଏ ରଥ ଓ ସେ ରଥରେ ଦଧିବାମନ  ମହାପ୍ରଭୁ ଗୋଟିଏ ମୂର୍ତ୍ତି ଭାବରେ ବିରାଜମାନ ହୋଇଥାନ୍ତି। କାରଣ ଭଟଲି ମନ୍ଦିରରେ କେବଳ ଶ୍ରୀ ଦଧିବାମନ ମହାପ୍ରଭୁ ପୂଜା ପାଉଛନ୍ତି।

ଲୋକ କଥା ଓ କିମ୍ବଦନ୍ତୀ ଅନୁସାରେ ସପ୍ତଦଶ ଶତାବ୍ଦୀର ମଧ୍ୟଭାଗରେ ପରମାନନ୍ଦ ସାହୁ ନାମକ ଜଣେ ଜଗନ୍ନାଥ ଭକ୍ତ ମହାପ୍ରଭୁଙ୍କୁ ତତ୍ କାଳୀନ ଗାଙ୍ଗପୁର ଇଷ୍ଟେଟ୍ ର ଦାଣ୍ଡଜିମ୍ଭିରା ଗ୍ରାମରୁ ଭଟଲିକୁ ଆଣି ପ୍ରତିଷ୍ଠା କରିଥିଲେ। 

ଏ ସଂପର୍କରେ ତାଙ୍କ ଦ୍ବାରା ଲିଖିତ ତାଳପତ୍ର ପୋଥି ‘ସଦାବର୍ତ୍ତ ବୋଲି’ ନାମକ କାବ୍ୟରୁ ଜଣାପଡ଼ିଥାଏ। ଭକ୍ତ ପରମାନନ୍ଦ ସାହୁ କ୍ଷେତକୁ ଯାଇଥିବା ସମୟରେ ଭଗବାନ ବାଳଗୋପାଳ ରୂପରେ ତାଙ୍କ ନିଷ୍ଠା ପରୀକ୍ଷା କରିଥିଲେ। ସପ୍ତଦଶ ଶତାବ୍ଦୀର ମନ୍ଦିର ପୋଡ଼ିରେ ଶ୍ରୀ ବିଗ୍ରହଙ୍କୁ ଜ୍ୱଳନ୍ତା ଅନଳରୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଭକ୍ତ ପରମାନନ୍ଦଙ୍କ ପୁତ୍ରବଧୂ କମଳା। 

ତେଣୁ ମହାପ୍ରଭୁଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ମନ୍ଦିର ରତ୍ନ ସିଂହାସନର ଡାହାଣ ପାର୍ଶ୍ବରେ ସେ ସତିହାରୀ ରୂପରେ ପୂଜା ପାଉଛନ୍ତି। ମନ୍ଦିର ପୋଡ଼ିରେ ପ୍ରଭୁ ଦାରୁବ୍ରହ୍ମ ଜଗନ୍ନାଥ ଅନ୍ତର୍ଦ୍ଧାନ ପୂର୍ବକ ଚକ୍ରତୀର୍ଥରେ ଶ୍ରୀଦଧିବାମନ ରୂପରେ ଆବିର୍ଭାବ ହୋଇଥିଲେ। 

ତାଙ୍କ ସ୍ବପ୍ନାଦେଶ କ୍ରମେ ସେ ଅଦ୍ୟାବଧି ପୂଜା ପାଇ ଆସୁଛନ୍ତି। ଭଟଲିରେ ଥିବା ଶ୍ରୀ ଦଧିବାମନଙ୍କ ମନ୍ଦିର ୭୪ ଫୁଟ୍ ଉଚ୍ଚ। ୧୯୧୨ ମସିହା ଏପ୍ରିଲ .୨୯ ତାରିଖରେ ଏହା ପ୍ରତିଷ୍ଠିତ ହୋଇଥିଲା। ଏହି ମନ୍ଦିର​ରେ ଶ୍ରୀଦଧିବାମନ ଏକକ ରୂପରେ ବିଦ୍ୟମାନ। 

ଶ୍ରୀ ଦଧିବାମନଙ୍କୁ ନେଇ ଗତ ୪ ଶହ ବର୍ଷ ମଧ୍ୟରେ ବହୁ କବି ବହୁ କାବ୍ୟ କବିତା ଲେଖି ଯାଇଛନ୍ତି। ତନ୍ମଧ୍ୟରୁ ସଦାବରତ ବୋଲି, ଶ୍ରୀ ଦଧିବାମନ ମାହାତ୍ମ୍ୟ ବା ଭକ୍ତର ଭାବ, ଶ୍ରୀ ଦଧିବାମନ, ଦଧିବାମନ ଜଣାଣ, ଚକ୍ରତୀର୍ଥ, ପରମାନନ୍ଦ କୃତ ସଦାବରତ ବୋଲି - ଏକ ଅଧ୍ୟୟନ, ଭଟଲି ଶ୍ରୀକ୍ଷେତ୍ରେ ଦଧିବାମନ, ଦଧିବାମନ ରହସ୍ୟ, ଜୟ ଶ୍ରୀ ଦଧିବାମନ, ଶ୍ରୀ ଶ୍ରୀ ଦଧିବାମନ ଦର୍ଶନ, ଭଜନ ମୋକ୍ଷାୟନ ଓ ପ୍ରଶ୍ନୋତ୍ତରରେ ଶ୍ରୀ ଦଧିବାମନ ଅନ୍ୟତମ। 

ଏହି ସବୁ କାବ୍ୟ ଏ ଅଞ୍ଚଳର ସଂକୀର୍ତ୍ତନ ଦଳଗୁଡ଼ିକ ଖୁବ୍ ସୁନ୍ଦର ଭାବେ ପରିବେଷଣ କରନ୍ତି। ଶ୍ରୀ ଦଧିବାମନଙ୍କ କିମ୍ବଦନ୍ତୀକୁ ନେଇ ବହୁ ନାଟକ ମଧ୍ୟ ରଚିତ ଓ ମଞ୍ଚସ୍ଥ ହୋଇଛି। 

ଭଟଲି ରଥର ଉଚ୍ଚତା ୪୦ ଫୁଟ୍ ଓ ଏହା ଅଷ୍ଟ ଚକ ବିଶିଷ୍ଟ। ୧୦୧ ଖଣ୍ଡ ବଡ଼ କାଠ ସମେତ ସମୁଦାୟ ୪୭୨ ଖଣ୍ଡ କାଠରେ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିର୍ମାଣ କରାଯାଏ। ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଅନୁକୂଳ ହୋଇ ନେତ୍ରୋତ୍ସବ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥାଏ। 

ରଥର ଗତି ନିର୍ଣ୍ଣୟ ପାଇଁ କାଠ ନିର୍ମିତ ବ୍ରେକ ବ୍ୟବହାର ହୋଇଥାଏ। ରଥରେ ବ୍ୟବହୃତ ବାଦ୍ୟଯନ୍ତ୍ର ଯଥା ଘଣ୍ଟ, ଶଙ୍ଖ, ନାଗରା, ଝାଞ୍ଜ, ଘଣ୍ଟା ସବୁର ସ୍ୱର ଓ ଛନ୍ଦ ସମଗ୍ର ଓଡ଼ିଶାରେ ଶୁଣିବାକୁ ମିଳେନାହିଁ। ଏହାର ଏକ ସ୍ବାତନ୍ତ୍ର ରହିଛି। ଏଠାରେ ବ୍ୟବହୃତ ନାଗରା କଳାକାରମାନେ ପରମ୍ପରା କ୍ରମେ ବଜାଇ ଆସୁଛନ୍ତି। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ବିତୀୟା ଦିନ ଠାକୁର ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥାଏ। 

ଠାକୁର ଶ୍ରୀମନ୍ଦିର ଠାରୁ ରଥ ପର୍ଯ୍ୟନ୍ତ ଏକ ଘଣ୍ଟା କାଳ ଏକ ସୁନ୍ଦର ଶୋଭାଯାତ୍ରାରେ ଝୁଲି ଝୁଲି ଆସିଥାନ୍ତି। ଘଣ୍ଟ, ଶଙ୍ଖ, ହରିବୋଲ ହୁଳହୁଳିରେ ଗଗନ ପବନ ପ୍ରକମ୍ପିତ ହୋଇଥାଏ। କୀର୍ତ୍ତନ ଦଳଗୁଡ଼ିକ ଭକ୍ତି ସଙ୍ଗୀତ ପରିବେଷଣ କରି ନୃତ୍ୟକରି ଆଗେ ଆଗେ ଚାଲିଥାନ୍ତି। ପ୍ରଭୁଙ୍କୁ ବାଟସାରା ଲୋକେ ପାଦ ଧୋଇ ପୂଜା ଅର୍ଚ୍ଚନା କରିଥାନ୍ତି। ପହଣ୍ଡି ବିଜେ ସମୟରେ ପ୍ରବଳ ଜନସମାଗମ ହୋଇଥାଏ। 

ପହଣ୍ଡି ପରେ ଠାକୁର ତିନି ଥର ରଥ ପରିକ୍ରମା କରି ରଥାରୋହଣ କରିଥାନ୍ତି। ରଥ ଉପରେ ବଡ଼ ଶୃଙ୍ଗାର ବେଶ କରାଯାଇଥାଏ। ଶ୍ରୀ ଦଧିବାମନ ଅସୀମ ତେଣୁ ତାଙ୍କୁ ଗଣ୍ଠିପକା ମାଳ ପିନ୍ଧାଯାଏ ନାହିଁ। ଛୁଆମାନଙ୍କୁ ରଥ ଛୁଆଁଇବା ପରମ୍ପରା ଅନନ୍ୟ। ଛେରା ପହରା ପରେ ରଥ ଟଣା ହୋଇଥାଏ। ସାରଥୀ ଢଗଢମାଳି ଗୀତ ଗାଇଥାନ୍ତି। 

ଆବିର୍ଭୁତ ପରଂବ୍ରହ୍ମ ଶ୍ରୀ ଦଧିବାମନଙ୍କ ସାନ୍ନିଧ୍ୟ ପାଇବାକୁ ରଥଯାତ୍ରା ଅବସରରେ ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା ରାଜ୍ୟରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଆଷାଢ଼ ଶୁକ୍ଳ ଦ୍ବିତୀୟାରୁ ନବମୀ ପର୍ଯ୍ୟନ୍ତ ଯେଉଁ ଯାତ୍ରା ଅନୁଷ୍ଠିତ ହୋଇଥାଏ ତାକୁ ‘ନବଗୁଞ୍ଜର ଯାତ୍ରା’ ବୋଲି କୁହାଯାଏ। 

ଏଠାରେ ପ୍ରଥମେ ସଂଚାର କଳାକାରମାନେ ମୃଦଙ୍ଗ ନେଇ ନୃତ୍ୟ କରୁଥିଲେ। ଏବେ ବିଭିନ୍ନ ପ୍ରକାର ଲୋକକଳା ପ୍ରଦର୍ଶିତ ହେଉଛି। ନବମୀ ରାତିରେ ମାଉସୀ ମା ମନ୍ଦିରରେ ଅଟା, ଘିଅ, ଗୁଡ଼, ଆଲାଇଚ, ଲବଙ୍ଗ, ଚାର ମଞ୍ଜି, କାଜୁ, କିସ୍ ମିସ୍, ଗୋଟମରିଚ, ନଡ଼ିଆ, ଚିନି, ତେଜପତ୍ରରେ ପ୍ରସ୍ତୁତ ପୋଡ଼ ପିଠା ଭୋଗ ଲାଗି କରାଯାଏ।  

ପାରମ୍ପରିକ ରୀତିରେ ଆଷାଢ଼ ଶୁକ୍ଳ ଦଶମୀ ଦିନ ଅନୁଷ୍ଠିତ ବାହୁଡ଼ା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ନୀଳାଦ୍ରି ବିଜେ କରିବା ପରେ ଲକ୍ଷ୍ମୀ ନାରାୟଣ ଭେଟ ହୋଇଥାଏ। ପୁରୀରେ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାରେ କୌଣସି ବିଘଟଣ ଘଟିଲେ ଏଠାରେ ମଧ୍ୟ ଘଟିଥାଏ ବୋଲି ପୁରୁଣା ଲୋକ କହନ୍ତି। 

ପୁରୀ ଶ୍ରୀ ଜଗନ୍ନାଥଙ୍କ ସହିତ ଶ୍ରୀ ଦଧିବାମନଙ୍କ ପ୍ରତ୍ୟକ୍ଷ ମହିମା ଏଠାରେ ଦେଖିବାକୁ ମିଳୁଥିବାରୁ ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବରେ ଦଧିବାମନ ଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ରହିଛି। 



Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...