ଶିମିଳିପାଳରୁ ପୁଣି ୯ ବନ୍ଧୁକ ଜବତ...

ଶିମିଳିପାଳରୁ ପୁଣି ୯ ବନ୍ଧୁକ ଜବତ...

ବାରିପଦା,୩୦/୦୭ : ପୁଲିସର ସର୍ଚ୍ଚ ଅପରେସନ୍‌ ଓ ଏସ୍‌ପିଙ୍କ ଚେତାବନୀ ସତ୍ତ୍ବେ ବନ୍ୟଜନ୍ତୁ ତସ୍କରଙ୍କ ଶିକାର ମୋହ ଏଯାଏ ଛାଡିନି। ଧରାପଡ଼ିବା ଭୟରେ ବନ୍ଧୁକ ଓ ମାରଣାସ୍ତ୍ରକୁ ପରିତ୍ୟକ୍ତ ଜାଗା ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚାଇ ଦେଉଛନ୍ତି।

Ad.. 



ଆଜି ସକାଳେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଶିମିଳିପାଳ ପାଦଦେଶରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ୯ଟି ବନ୍ଧୁକ ଜବତ କରିଛି। ସେଥିରେ ୮ଟି ଦେଶୀ ବନ୍ଧୁକ ଓ ଗୋଟିଏ ପିସ୍ତଲ ରହିଥିବା ମୟୂରଭଞ୍ଜ ଏସ୍‌ପି ବାତୁଳ ଗଙ୍ଗାଧର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗତ ୧ ତାରିଖରୁ ଶିମିଳିପାଳକୁ ଶିକାରୀମୁକ୍ତ କରିବା ଅଭିଯାନ ଆରମ୍ଭ ହୋଇଛି। ୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ଶିମିଳିପାଳରେ ୨୪ ଘଣ୍ଟିଆ ସର୍ଚ୍ଚ ଅପରେସନ୍‌ କରିବା ସହ ଅଭୟାରଣ୍ୟର ସବୁ ପ୍ରବେଶ ପଥରେ ଜଗି ରହିଛନ୍ତି। ପୁଲିସ ଫୋର୍ସଙ୍କ ସହିତ ବନ କର୍ମଚାରୀ ବି ସାମିଲ ଅଛନ୍ତି। 

ପୁଲିସ ଉପସ୍ଥିତି ଯୋଗୁଁ ଶିକାର ବି କମିଛି। ଭୟରେ ଶିକାରୀମାନେ ଶିମିଳିପାଳକୁ ପ୍ରବେଶ କରୁନାହାନ୍ତି। କିନ୍ତୁ ସେମାନଙ୍କ ପାଖରେ ବନ୍ଧୁକ ଓ ମାରଣାସ୍ତ୍ର ମହଜୁଦ ରହିଛି। ଜୁଲାଇ ୩୧ ତାରିଖ ସୁଦ୍ଧା ଶିମିଳିପାଳ ପାଦଦେଶର ୧୨ଟି ନିର୍ଦ୍ଧାରିତ ସ୍ଥାନରେ ବନ୍ଧୁକ ସମର୍ପଣ ନିମନ୍ତେ ପୁଲିସ ପକ୍ଷରୁ କୁହାଯାଇଥିଲା।

ତେବେ ଏହି ୪ ସପ୍ତାହ ମଧ୍ୟରେ ମାତ୍ର ଜଣେ ଗୋଟିଏ ବନ୍ଧୁକ ସମର୍ପଣ କରିଥିବା ବେଳେ ଆଉ କେହି କରିନାହାନ୍ତି। ସେପଟେ ଚଢ଼ଉ ସମୟରେ ପୁଲିସ ବନ୍ଧୁକ ଜବତ କରି ଚାଲିଛି। ଏଥିରୁ ସ୍ପଷ୍ଟ, ଏବେ ବି ଶିମିଳିପାଳ ଭିତରେ ବହୁ ବନ୍ଧୁକ ଓ ମାରଣାସ୍ତ୍ର ରହିଛି। 

ବନ୍ଧୁକ ସମର୍ପଣ ମହଲତ ଆଉ ମାତ୍ର ୨ ଦିନ ବାକି ରହିଥିବା​ ବେଳେ ଏହି ସମୟ ମଧ୍ୟରେ ବନ୍ଧୁକ ସମର୍ପି ଦେବାକୁ ପୁଣିଥରେ ଏସ୍‌ପି ଆହ୍ବାନ ଦେଇଛନ୍ତି। ଅଗଷ୍ଟ ୧ ତାରିଖରୁ ମାଓ ଦମନ ଢାଞ୍ଚାରେ ଶିମିଳିପାଳ ଭିତରେ ଓ ପାଦଦେଶରେ କମ୍ବିଂ ଅପରେସନ୍‌ କରାଯିବ, ଆଉ କାହାକୁ ଛଡ଼ାଯିବନି ବୋଲି ଏସ୍‌ପି ଶ୍ରୀ ଗଙ୍ଗାଧର ଚରମବାଣୀ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ୨ ହଜାର ୭୫୦ ବର୍ଗ କିମି ପରିମିତ ଶିମିଳିପାଳ ଅଭୟାରଣ୍ୟରେ ହାତୀ, ବାଘ ସମେତ ବିଭିନ୍ନ ପ୍ରଜାତିର ବିରଳ ବନ୍ୟଜନ୍ତୁ ଅଛନ୍ତି। ଗତ କିଛି ବର୍ଷ ଧରି ଶିକାରୀମାନଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଦେଢ଼ ମାସ ତଳେ ଏମାନଙ୍କ ଗୁଳିରେ ୨ଜଣ ବନ କର୍ମଚାରୀ ପ୍ରାଣ ହରାଇଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ଉଦଳା ଏସ୍‌ଡିପିଓ ସିଦ୍ଧାର୍ଥ ରାୟ ଓ ଖୁଣ୍ଟା ଥାନା ଅଧିକାରୀ ଲୋପାମୁଦ୍ରା ନାୟକ ଉପସ୍ଥିତ ଥିଲେ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...